ମାଲକାନଗିରି,୧୮/୦୧(ପିପିଟି): ମାଲ୍ୟବନ୍ତ ମହୋତ୍ସବର ତୃତୀୟ ଦିବସ ମୁକ୍ତାକାଶ ରଙ୍ଗ ମଞ୍ଚରେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ “ମେଘ ମହ୍ଲାର” କବିତା ସଂକଳନ ପୁସ୍ତକ ମୁଖ୍ଯ ଅତିଥି ଅନୁସୂଚିତ ଜାତି/ଜନଜାତି ଉନ୍ନୟନ,ସଂଖ୍ଯା ଲଘୁ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରିକାଙ୍କ କର କମଳରେ ଉନ୍ମୋଚିତ ହୋଇଯାଛି।ଅନ୍ଯାନ୍ଯ ସନ୍ମାନିତ ଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲାପାଳ ବଲବନ୍ତ ସିଂ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତ୍ଯ ୱାଧୱାନୀ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ପତିତ ପାବନ ବୈଦ୍ଯ, ମାଲକାନଗିରି ପୌରାଧ୍ଯକ୍ଷ ମନୋଜ ବାରିକ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ଯକ୍ଷ ପ୍ରଦୀପ କୁମାର ନାୟକ, ଖଇରପୁଟ ବ୍ଲକ ଅଧ୍ଯକ୍ଷ ବିଘ୍ନ କିର୍ଷାନୀ,ମାଲକାନଗିରି ବ୍ଲକ ଅଧ୍ଯକ୍ଷା ଗୌରୀ ପଡିଆମୀ, କୋରୁକୁଣ୍ଡା ବ୍ଲକ ଅଧ୍ଯକ୍ଷ ଜିତୁ ବୁରୁଦୀ, ମାଥିଲି ବ୍ଲକ ଅଧ୍ଯକ୍ଷ ମନୋଜ କୁମାର ବାକା, ଚିତ୍ରକୋଣ୍ଡା ବ୍ଲକ ଅଧ୍ଯକ୍ଷା ରାଜେଶ୍ବରୀ ଖିଲ, କାଲିମେଳା ବ୍ଲକ ଅଧ୍ଯକ୍ଷା ସୁଭାଷିନୀ ସୋଡି, ପଡିଆ ବ୍ଲକ ଅଧ୍ଯକ୍ଷା ଜମୁନା ମୁସାକୀ ପ୍ରମୁଖ ମଞ୍ଚାସୀନ ଥିଲେ।
କବି କେଶବ ନାୟକ ଏକାଧାରରେ ଜଣେ ବରିଷ୍ଠ ସାମ୍ବାଦିକ,କବି, ଗାଳ୍ପିକ,ସ୍ତମ୍ଭକାର,ଲେଖକ, ସୁସାହିତ୍ଯିକ,ସୁବକ୍ତା,ସମାଜସେବୀ ଓ ପ୍ରକୃତି ପ୍ରେମୀ ଅଟନ୍ତି। ପୂର୍ବରୁ ତାଙ୍କର ରଚିତ “ପୁନା ଚୁକ୍ତି”, “ବୁଦ୍ଧ ଶିକ୍ଷା କଣ ପାଇଁ”, “ମାଲକାନଗିରି ବଡ ଯାତ୍ରା”, “ଜୀବନ ନାଟକ” (କବିତା ସଂକଳନ) ଏବଂ “ମଶାଣି” (କବିତା ସଂକଳନ) ପ୍ରକାଶ ପାଇଛି।ବର୍ତ୍ତମାନ “ମେଘ ମହ୍ଲାର” (କବିତା ସଂକଳନ) ପ୍ରକାଶ ପାଇଛି। ଶ୍ରୀ ନାୟକ ୧୯୯୦ ମସିହାରୁ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲ୍ଲା ସାମ୍ବାଦିକ କାର୍ଯ୍ୟ ନିର୍ବାହ କରିଆସୁଥିବା ବେଳେ ତାଙ୍କୁ ଓଡିଶା ସରକାର ୨୦୨୦ ମସିହାରେ “ଉତ୍ତମ ସାମ୍ବାଦିକ” ସମ୍ମାନରେ ସମ୍ମାନିତ କରନ୍ତି। ସେହିପରି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସଂଶ୍ଲିଷ୍ଟ ରହି ପରିବେଶ ସୁରକ୍ଷାରେ ତାଙ୍କର ପ୍ରତ୍ଯକ୍ଷ ଯୋଗଦାନ ହେତୁ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୨୦୧୨/୧୩ ମସିହାରେ ପ୍ରକୃତି ବନ୍ଧୁ ଏବଂ ୨୦୨୦ ମସିହାରେ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଦ୍ବାରା ପ୍ରତିଷ୍ଠିତ “ଉତ୍କଳ ସାହିତ୍ୟ ସଂସଦ” ମାଲକାନଗିରି ଜିଲ୍ଲାରେ ଓଡିଆ ସାହିତ୍ୟ ପ୍ରସାର ପ୍ରଚାର ଦିଗରେ ଏକ ମାଇଲଖୁଣ୍ଟି । ସେ କବି ଭାବରେ ଓଡିଶାକ ବହୁ ସାହିତ୍ୟ ଅନୁଷ୍ଠାନ ତରଫରୁ ବହୁ ବାର ସମ୍ମାନିତ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ସହଯୋଗ କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ଯା ରେ ଲକ୍ଷାଧିକ କଳାପ୍ରେମୀ ଯୋଗ ଦେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)