ମାଲକାନଗିରି,୩୧/୧୨(ପିପିଟି):ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଅରଣ୍ଯ ସଂପଦରେ ଭରପୂର ଅଞ୍ଚଳ ଭାବେ ସର୍ବବିଦିତ। ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକମାନେ ଚାଷ କାର୍ଯ୍ଯ କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଏହା ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଆର୍ଥିକ ମାନଦଣ୍ଡକୁ ଏକ ପ୍ରକାର ସୁଦୃଢ କରି ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇଥାନ୍ତି । ଜଳ,ଜମି,ଜଙ୍ଗଲ ଉପରେ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାଗୁଡିକରେ ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର ରହିଛି । ଆଦିବାସୀଙ୍କ ବିନା ଅନୁମତିରେ କୌଣସି କମ୍ପାନୀ ଜମି ଅଧିଗ୍ରହଣ କରି ପାରିବ ନାହିଁ କିମ୍ବା ପର୍ଯ୍ଯାବରଣକୁ ନଷ୍ଟ କରି ପାରିବ ନହିଁ । ଆଦିବାସୀମାନେ କୌଣସି କମ୍ପାନୀ ଖଣିଜ ଦ୍ରବ୍ଯ ଉତ୍ତୋଳନ କରି ବଳ ପୂର୍ବକ ନେଇ ପାରିବ ନାହିଁ,ଯଦି ଆଦିବାସୀମାନେ ବାରଣ କରନ୍ତି ରାଜ୍ଯ ବା କେନ୍ଦ୍ର ସରକାର ଆଦେଶ ଦେଇ ପାରିବେ ନାହିଁ ।ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ମାଟାପାକା ଗ୍ରାମ ପଞ୍ଚାୟତ ରେ ଥିବା କତାମାଟେରୁ ଗ୍ରାମରେ ଏକ କମ୍ପାନୀ ନିର୍ମାଣ ହେବା ପାଇଁ ଜାନୁଆରୀ ୧୨ ତାରିଖରେ ଏକ ଜନ ଶୁଣାଣି ହେବାର ନିଷ୍ପତ୍ତି ନିଆଯାଇଥିବା ଖବର ଗ୍ରାମବାସୀ ମାନେ ଜାଣିବା ପରେ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କତାମାଟେରୁ,ନିଲିଗୁଡା,ମାଟେରୁ,ଶିଖପାଲ୍ଲୀଏବଂ ତଣ୍ଡାପାଲ୍ଲୀ ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି ଯେ ଏହି କମ୍ପାନୀ ହେବା ଦ୍ୱାରା ସେହି ଗ୍ରାମରେ ବସ ବାସ କରୁଥିବା ଗ୍ରାମବାସୀଙ୍କ ଜମି ମଧ୍ୟ ସେହି ଗ୍ରାମବାସୀ ମାନେ ହରାଇବେ । ସେମାନଙ୍କ ଚାଷ ଜମି ଅଧିଗ୍ରହଣ ହେବ ଏବଂ ଜୀବନ ଜୀବିକା ବିପନ୍ନ ହେବ । ତେଣୁ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ସହ ଜନ ଶୁଣାଣିରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଯଦି ଭବିଷ୍ଯତରେ କମ୍ପାନୀ ସ୍ଥାପନ କରାଯିବ,ତେବେ ଆଦିବାସୀମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)