ଏକ ଲକ୍ଷ ଟଙ୍କାର ମୂଲ୍ଯବାନ କାଠ ଜବତ ।

0 111

ମାଲକାନଗିରି,୧୧/୧୧(ପିପିଟି):ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ଓସିସି କୋଲୋନୀ ଠାରେ ଭୈରବେଶ୍ୱର ବିଶୋଇ (୩୦)ଙ୍କ ବାସଗୃହରେ ଆଜି ଚଢ଼ାଉ କରାଯାଇଥିଲା । ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ବାଲିମେଳା ବନାଞ୍ଚଳର ୨୦ ବନ କର୍ମଚାରୀ ଏକ୍ସିକୁଟିଭ ମାଜିଷ୍ଟ୍ରେଟ ତଥା କୁଡୁମୁଲୁଗୁମା ତହସିଲଦାର ବିଜୟ କୁମାର ମଣ୍ଡାଙ୍ଗୀ ଏବଂ ପୋଲିସ ଉପସ୍ଥିତିରେ ଚଢାଉ କରାଯାଇଥିଲା । ବନାଞ୍ଚଳ ଅଧିକାରୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ବନପାଳ ମୋହନ ଗୁଡ଼ିଆ ଏବଂ ଅନ୍ୟ କର୍ମଚାରୀ ରେଡ଼ କରିଥିଲେ । ଭରବେଶ୍ବରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଲିଜା ବେହେରା ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ । ଲିଜା ବେହେରାଙ୍କ କହିବା ଅନୁଯାୟୀ ଭୁବନେଶ୍ଵର ବେହେରା ତାଙ୍କ ଦେଢଶୁର ହିଁ କାଠ ଗୁଡ଼ିକ ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ଚୋରାରେ କିଣିଛନ୍ତି । ରେଡରେ ପ୍ରାୟ ତିରିଶ ଖଣ୍ଡ ଶାଗୁଆନ ଏବଂ ବିଜା କାଠ ଜବତ ହୋଇଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ । କାଠ ଗୁଡ଼ିକ ଜବତ ପରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ବନରକ୍ଷୀ ପ୍ରଶାନ୍ତ କୁମାର ରାଉତଙ୍କ ଜିମାରେ ରଖାଯାଇଛି । ଘଟଣାର ଉତ୍ସକୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୋକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ଆଜିର ଚଢାଉରେ ବାଲିମେଳା ବନାଞ୍ଚଳର ଉପ ବନାଞ୍ଚଳ ଅଧିକାରୀ ଅନିଲ କୁମାର ବାଲା,ବନପାଳ କୁମାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ଓ ସଦାଶିବ ଚିନାରା ଏବଂ ବାନାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କୁଆଡ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.