ପୋଲସରା,୧୩/୧୨(ପିପିଟି):କୁହାଯାଏ, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ଶୈଶବରୁ ପ୍ରତିଭାର ପରିସ୍ଫୁଟନ ଘଟେ। ସେହିଭଳି ଜଣେ ପ୍ରତିଭାବାନ୍ ଶିଶୁ ହେଉଛନ୍ତି ଅନନ୍ୟା ପ୍ରିୟଦର୍ଶିନୀ ସ୍ବାଇଁ। ବୟସ ମାତ୍ର ୪ ବର୍ଷ ୯ ମାସ। ଅନନ୍ୟା ବିରଳ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍ସ୍ରେ ସ୍ଥାନ ପାଇଛନ୍ତି। ଆଖିରେ କଳାପଟି ବନ୍ଧା ଥାଇ ୩ ମିନଟ୍ରୁ କମ୍ ସମୟ ମଧ୍ୟରେ ଆତ୍ମ ପରିଚୟ ସମ୍ବନ୍ଧିତ ୧୨ଟି ପ୍ରଶ୍ନର ଉତ୍ତର, ୧୦ଟି ଜାତୀୟ ମାନ୍ୟତାପ୍ରାପ୍ତ ନାମ, ୧୦ଟି ରାଜ୍ୟର ରାଜଧାନୀ, ୧୦ଟି ଦେଶର ରାଜଧାନୀ ଏବଂ ୬ଟି ଗୁଣନ ଖନ୍ଦା ଆଧାରିତ ଉତ୍ତର ସହିତ ସମ୍ପୂର୍ଣ୍ଣ ଶିବ ସ୍ତୋତ୍ରମ୍ ଆବୃତ୍ତି କରି ସେ ଏହି ସଫଳତା ହାସଲ କରିଛନ୍ତି। ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅନନ୍ଯାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍ସ୍ର ସ୍ବର୍ଣ୍ଣପଦକ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କର ଏହି କୃତିତ୍ବରେ ତାଙ୍କର ପିତା ସଂସ୍କୃତ ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁ ଏବଂ ମାତା ସୁନିତା ପରିଡ଼ା, ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ, ପରିବାର ଆତ୍ମୀୟସ୍ବଜନ ତଥା ଷଣ୍ଢମୂଳ ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦ ବ୍ୟକ୍ତ କରିବା ସାଥେ ସାଥେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଅନନ୍ୟା ତାଙ୍କର ଦକ୍ଷତା ବଳରେ କନ୍ୟାରତ୍ନ ମହାରତ୍ନ ବାକ୍ଯକୁ ସାର୍ଥକ ପ୍ରମାଣିତ କରିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )
Prev Post