ଆସିକା,୧୪/୦୨(ପିପିଟି): ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଶିକ୍ଷକ ଆସିକା ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ଗିରଫ ହୋଇଥିବା ଶିକ୍ଷକ ବୁଲୁ ସେଠୀ ଜାଲ ସାର୍ଟିଫିକେଟ ଦେଇ ଆସିକା ବ୍ଲକ ଅନ୍ତର୍ଗତ ହରିଡାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରୀ କରି ଆସୁଥିଲେ। ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ତା-୦୭/୦୩/୨୦୨୦ ରେ ଗଞ୍ଜାମ ଜିଲ୍ଲାର ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ବୁଲୁ ସେଠୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ଆସିକା ବିଇଓଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ବୁଲୁ ସେଠୀଙ୍କ ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ହରିୟାନା ପଠା ଯାଇଥିଲା। ଯାଞ୍ଚ ସମୟରେ ଜଣାପଡିଲା ଯେ ଜାଲ ବୋଲି। ଏହି ଘଟଣା ସଂପର୍କେ ଆସିକା ବିଇଓଙ୍କ ପକ୍ଷରୁ ଆସିକା ଥାନାରେ ଏତଲା ଦିଆଯିବା ପରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବୁଲୁ ସେଠୀଙ୍କୁ ଗିରଫ କରିଛି। ବୁଲୁ ସେଠୀଙ୍କ ଘର କବିସୂର୍ଯ୍ଯ ନଗର । ଆସିକା ପୁଲିସ ଥାନା କେସ ନମ୍ବର- ୭୯, ତା-୧୧/୦୨/୨୦୨୨,ୟୁ/ଏସ ୪୬୭/୪୬୮/୪୭୧/୪୨୦ ଆଇପିସି ଅନୁଯାଇ ମାମଲା ରୁଜ୍ଜୁ ହୋଇଥିବା ନେଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଯେତେ ଜାଲ ସାର୍ଟିଫିକେଟ ମାମଲା ହୋଇଛି ସେଥିମଧ୍ଯରୁ ଆସିକା ଥାନା ସଫଳତାର ସହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଜାଲ ଶିକ୍ଷକଙ୍କ ଗିରଫ ପରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ମହଲରେ ଛନକା ପଶିଛି।