ମାଲକାନଗିରି,୧୪/୧୧(ପିପିଟି): ଗତ ୧୦ ତାରିଖ ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ବୈପାରିଗୁଡ଼ା ଥାନା ମାଳିପଦର ଗାଁରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟରରେ ମାଲକାନଗିରି ଜିଲ୍ଲା ସୀମାନ୍ତ ବୈପାରିଗୁଡ଼ା ଥାନା ମାଳିପଦର ଗାଁରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟରରେ ମାଥିଲି ଅଞ୍ଚଳର ଜଣେ ନିରୀହ ଦିନମଜୁରିଆଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ମୃତଦେହ ଫେରାଇବା ଓ ଏହାର ଉଚ୍ଚସ୍ଥରୀୟ ତଦନ୍ତ ଦାବି କରି ରବିବାର ସକାଳୁ ରାତି ପର୍ଯ୍ୟନ୍ତ ମୃତକଙ୍କ ପରିବାର ଓ ଗ୍ରାମବାସୀ କତାମେଟା ମୁଖ୍ୟରାସ୍ତାରେ ଧାରଣାରେ ବସିଥିଲେ। ଫଳରେ ୩୨୬ ନମ୍ୱର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରୋକ ଅଭିଯୋଗରେ ମାଲକାନଗିରି ପୋଲିସ ରବିବାର ମଧ୍ୟରାତ୍ରୀରେ କତାମେଟା ଧାରଣସ୍ଥଳରୁ ୨୩ ଜଣଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିଲା। ପୁଣି ସୋମବାର ସକାଳେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁ ଦା, ଧନ ଧର୍ମା, ସନ୍ତୋଷ କାଲାକର, ବନମଳି କାଲା କାରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଅନ୍ୟ ୧୯ ଜଣଙ୍କୁ ପଚରାଉଚୁରା କରିବା ପରେ ଛାଡି ଦିଆଯିବ ବୋଲି ପୋଲିସ କହିଛି ।ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରେ କତାମେଟା ରାସ୍ତାରୋକ ପ୍ରତ୍ୟାହାର ହୋଇଛି। ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥରେ ଆଜିଠାରୁ ଯାନବାହନ ଚଳାଚଳ ସ୍ଵାଭାବିକ ହୋଇଛି। ଏନେଇ ମାଲକାନଗିରି ଥାନା ଆଇଆଇସି ରିଗନ କିଣ୍ଡୋ ସୂଚନା ଦେଇଛନ୍ତି। ତେବେ ପୋଲିସର ଗିରଫଦାରି ପରେ ରାସ୍ତାରୁ ଧାରଣା ପ୍ରତ୍ୟହର ହୋଇଥିଲେ ମଧ୍ୟ ମହିଳାମାନେ କତାମେଟା ରାସ୍ତା ପାର୍ଶ୍ଵରେ ବସିରହିଥିବା ଜଣାପଡିଛି । ୪ ଆନ୍ଦୋଳନକାରୀଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ଘଟଣାକୁ ଜିଲ୍ଲା କଂଗ୍ରେସ ଘୋର ନିନ୍ଦା କରିଛି। ସୋମବାର ସକାଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ମାଲକାନଗିରି ଥାନାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । କଂଗ୍ରେସ କହିଛି ଯେ, ଗିରଫ ହୋଇଥିବା ବ୍ୟକ୍ତିମାନେ ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କ ଦାବିନେଇ ଧାରଣା ଦେଇଥିଲେ। ହକ୍ ଦାବି କରି ଗଣତନ୍ତ୍ର ରାଷ୍ଟ୍ରରେ ରାସ୍ତାରୋକ ଓ ଧାରଣା ଦେବା କିଛି ଅପରାଧ ନୁହଁ। ପୋଲିସ ସେମାନଙ୍କୁ ଅପରାଧୀ ଭାବେ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିବା ଏକ ନିନ୍ଦନୀୟ ଘଟଣା। ପୋଲିସର ଗୁଣ୍ଡାଗିରିକୁ ଉଚିତ୍ ଜବାବ ଦିଆଯିବ। ଆଗାମୀ ଦିନରେ ଏହାକୁ ନେଇ ଏକ ବଡ଼ ଧରଣ ଆନ୍ଦୋଳନ ହେବ ବୋଲି କଂଗ୍ରେସ କମିଟି ସଭାପତି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଗୁରୁବାର ରାତିରେ ବୈପାରିଗୁଡା ଥାନା ମାଳିପଦର ଜଙ୍ଗଲରେ କୋରାପୁଟ ପୋଲିସର କମ୍ବିଂ ଅପରେସନ ବେଳେ ଏନକାଉଣ୍ଟରରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଇ ଜଣ ଦିନ ମଜୁରିଆ ହୋଇଥିବା ଦାବି କରି ଗ୍ରାମବାସୀମାନେ ରବିବାର ସକାଳେ କତାମେଟା ରାସ୍ତାରେ ଧାରଣା ଦେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post