ମାଲକାନଗିରି,୧୧/୧୦(ପିପିଟି):ଆଜି ଜିଲ୍ଲା ମଙ୍ଗଳ କାର୍ଯ୍ଯାଳୟ ଆନୁକୂଲ୍ଯରେ ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ଓଡିଶା ସରକାରଙ୍କ ଏଡିଭିଆଇକେଏ ସମସ୍ତ ୧୦ ରୁ ୧୯ ବୟସର କିଶୋରୀକୁ ନେଇ ଅଙ୍ଗନୱାଡି କେନ୍ଦ୍ରରେ ପ୍ରତ୍ୟେକ ଶନିବାର ଦିନ ବୈଠକ ବସୁଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସଖି ଓ ସହେଲୀକୁ ବଛାଯାଉଥିବା ବେଳେ ଏଡିଭିଆଇକେଏ କ୍ୟାଲେଣ୍ଡର ଅନୁସାରେ ବିଭିନ୍ନ ପ୍ରକାରର ଶିକ୍ଷା ଦିଆଯାଉଛି । ଆଜିର ବୈଠକରେ ୭ ଗୋଟି ପ୍ରକଳ୍ପରୁ ସଖି ଓ ସହେଲୀ ମଧ୍ୟ ଯୋଗଦାନ କରି ତାଙ୍କର ଅନୁଭୂତି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କିଶୋରୀମାନଙ୍କ ଉନ୍ନତି ଉପରେ ଅଭିବ୍ଯକ୍ତି ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସର ଲକ୍ଷ୍ଯ ଏବଂ ଏଡିଭିଆଇକେଏ କାର୍ଯ୍ଯକ୍ରମକୁ କିଭଳି ଉନ୍ନତତ୍ତର କରାଯାଇ ପାରିବ ବୁଝାଇଥିଲେ । ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ କିଶୋରୀମାନଙ୍କ ଶିକ୍ଷା , ସ୍ବାସ୍ଥ୍ୟ ,ଦକ୍ଷତା ବିକାଶ,ବାଲ୍ୟବିବାହ ଉପରେ ଆଲୋକପାତ କରିଥିଲେ ।ଏହି ବୈଠକରେ ସମସ୍ତ ବ୍ଲକର ସିଡିପିଓ, ଆଇସିଡିଏସ ସୁପରଭାଇଜର ଏବଂ ୭୦ ଜଣ କିଶୋରୀ ଭାଗ ନେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)