ମାଲକାନଗିରି,୨୩/୧୨(ପିପିଟି):ଅନର୍ଗଳ ମୁହଁରୁ ବାହାରି ପଡୁଛି ଗୀତା ଶ୍ଲୋକ। ପ୍ରଜ୍ଞା ମିଶନ ତରଫରୁ ଆୟୋଜିତ ଗୀତା ଆବୃତି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଆଗାମୀ ୨୬ଏବଂ ୨୭ ତାରିଖରେ ଆୟୋଜିତ ରାଜ୍ୟସ୍ତର ପ୍ରତିଯୋଗିତାରେ ନିଜର ପରିକାଷ୍ଠା ପ୍ରମାଣ କରିବେ ବୋଲି ଗୁରୁ ସରୋଜ ଦାଶ ପ୍ରକାଶ କରିଛନ୍ତି ।ମାଲକାନଗିରି ଜିଲ୍ଲା ଦୁର୍ଗମ ନକ୍ସଲ ପ୍ରବଣ ଘାଟି ଉପରେ ଥିବା ଏକ ଛୋଟିଆ ଗାଁ ବଡଡୁରାଲ ଗ୍ରାମର ମହେଶ ହନ୍ତାଳ। ମହେଶ ଜଣେ ଆଦିବାସୀ ପିଲା ହୋଇଥିବା ବେଳେ ବାପା ମାଆ ଛେଉଣ୍ଡ।ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଆଓମା ଗୁରୁକୁଳରେ ରହି କୁମୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପାଠ ପଢୁଛି ମହେଶ ହନ୍ତାଳ। ଅଧିକାଂଶ ଆଦିବାସୀ ପିଲାମାନେ ପାଠ୍ୟ ପୁସ୍ତକ ପଠନ ସମୟରେ ଶବ୍ଦ ଉଚ୍ଚାରଣ ଅସ୍ପଷ୍ଟ ହେଉଥିବା ବେଳେ ମହେଶ କିନ୍ତୁ ଗୀତାର କାଠିନ୍ଯ ସଂସ୍କୃତ ଶ୍ଲୋକଗୁଡିକୁ ନିର୍ଭୁଲ ଭାବେ ଉଚ୍ଚାରଣ କରି ଆବୃତ୍ତି କରିପାରୁଥିବା ଅତି ବିସ୍ମୟ ଘଟଣା।ଅବସରପ୍ରାପ୍ତ ଅଧ୍ଯାପକ ସରୋଜ ଦାଶଙ୍କ ଆପ୍ରାଣ ଉଦ୍ଯମରେ ମାତ୍ର ୭ ଦିନର ପ୍ରଶିକ୍ଷଣ କରିବା ପରେ ମହେଶ ଗୀତା ପଠନରେ ପ୍ରବୀଣ ହୋଇଥିଲା। ଅତି ଅଳ୍ପ ସମୟରେ ସେ ଗୀତା ଶ୍ଲୋକଗୁଡିକ ପଢି ମନେ ରଖିବା ଆରମ୍ଭ କରିଥିଲା। ପରେ ତାଙ୍କର ଏହି ମହାନ ଗୁଣକୁ ଗୁରୁ ସରୋଜ ଦାଶ ଦେଖିବା ପରେ ତାଙ୍କୁ ଶ୍ଲୋକଗୁଡିକର ଉଚ୍ଚାରଣ ଏବଂ ସଂସ୍କୃତ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଜ୍ଞା ମିଶନ ତରଫରୁ ମାଲକାନଗିରିରେ ଗୀତା ଶ୍ଲୋକ ଆବୃତ୍ତି ନେଇ ପ୍ରତିଯୋଗିତା ହେବା ପରେ ମହେଶ ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଥିଲେ। ଏହା ପରେ ପୁରୀରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରର ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି। ଜଣେ ଆଦିବାସୀ ଓ ଅନାଥ ଛାତ୍ରର ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିବା ସହ ଭବିଷ୍ୟତ ତାଙ୍କର ଉଜ୍ବଳ ହେବ ବୋଲି ଆଶା କରାଯାଇଛି। ମହେଶ ଅନ୍ୟ ଆଦିବାସୀ ପିଲାଙ୍କ ପାଇଁ ଉଦାହରଣ ହେବେ ବୋଲି ଆଶା କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post