ବ୍ରହ୍ମପୁର,୨୩/୦୭(ପିପିଟି); ଓଡିଶା ବିଜୁଳି କର୍ମଚାରୀ ସଂଘ ଗତ ତା. ୦୯.୦୨.୨୦୧୮ ରିଖ ଗଣଧାରଣାରେ ସାଉଥକୋ କର୍ତ୍ତୃପକ୍ଷ ଏବଂ ତତ୍କାଳୀନ ସି.ଏମ୍.ଡ଼ି ତଥା ଶକ୍ତି ସଚିବ ଭୁବନେଶ୍ୱର ସଂଘର କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରି ତା.୧୧.୦୨.୨୦୧୮ ରିଖ ଚୁକ୍ତିନାମା ସ୍ୱାକ୍ଷର କଲେ ଯେ ପ୍ରତି ଡିସକମ୍ ରେ ୨୦୦ ଜଣ ଲେଖାଏଁ ଆଉଟ୍ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ଏବଂ ଅବଶିଷ୍ଟ ଆଉଟ୍ ସୋର୍ସ କର୍ମଚାରୀଙ୍କୁ ଇନ୍ ସୋର୍ସ କରାଯିବ ଏବଂ ଏହା ୨୦୧୮-୨୦୧୯ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରାଯିବ । କିନ୍ତୁ ଏଯାବତ୍ କାର୍ଯ୍ୟକାରୀ ହେଲା ନାହିଁ । ପୁଣି ୧୬.୦୧.୨୦୧୯ ଠାରୁ ୧୧.୦୩.୨୦୧୯ ପର୍ଯ୍ୟନ୍ତ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ଏବଂ ବିଧାନସଭା ସଦନ ଭୁବନେଶ୍ୱର ସମ୍ମୁଖରେ ପୁନର୍ବାର ଗଣଧାରଣା ଦିଆଗଲା । ଧାରଣାରତ ସମୟରେ ନିର୍ବାଚନ କମିଶନର ନିର୍ବାଚନ ଘୋଷଣା କରିବା ଯୋଗୁଁ ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିବାକୁ ନିଷ୍ପତି ନେଲା । କିନ୍ତୁ ନିର୍ବାଚନ ପରେ ଚୁକ୍ତି କାର୍ଯ୍ୟକାରୀ ନହେଲେ ସ୍ଥଗିତ ଆନ୍ଦୋଳନକୁ ପୁନର୍ବାର ଦୋହରାଇ ବୋଲି ସଂଘ ନିଷ୍ପତି ନେଇଥିଲା । ନିଷ୍ପତି କ୍ରମେ ଆଜି ଓଡିଶା ବିଜୁଳି କର୍ମଚାରୀ ସଂଘ ଦୁଇଟି ବିଶିଷ୍ଟ ଦାବି ନେଇ ସାଉଥାକୋର ପ୍ରତି ସର୍କଲ ଅଫିସ୍ ଏବଂ ପ୍ରତି ଡିଭିଜନ ଅଫିସ୍ ସମ୍ମୁଖରେ ଦୁଇଦିନ ତଥା ୨୨.୦୭.୨୦୨୧ ଏବଂ ୨୩.୦୭.୨୦୨୧ ଗଣଧାରଣା ଦେବେ ଏବଂ ଆଗାମୀ ୨୬.୦୭.୨୦୨୧ ରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟି.ପି.ଏସ.ଓ.ଡି.ଏଲ୍ ପୂର୍ବ ନାମ ସାଉଥ୍ କୋ ମୁଖ୍ୟ କାର୍ଯ୍ୟାଳୟ , ବ୍ରହ୍ମପୁର ସମ୍ମୁଖରେ ଗଣଧାରଣା ଆନ୍ଦୋଳନ ଜାରି ରଖିବ । ଦାବିଗୁଡିକ ମଧ୍ୟରେ ପୂର୍ବ ଚୁକ୍ତି ମୁତାବକ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ପ୍ରତି ଡିସକମରେ ୨୦୦ ଜଣ ଲେଖାଏଁ ସ୍ଥାୟୀ ନିଯୁକ୍ତି ଦେବା , ଅସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବା , ସମସ୍ତ ଆଉଟ୍ ସୋର୍ସ କର୍ମଚାରୀଙ୍କୁ ଇନସୋର୍ସ କରିବା ଏବଂ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଯାହାକି ସୁପ୍ରିମକୋର୍ଟ ରାୟ/ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଇତ୍ୟାଦି ଦାବିରେ ସଂଘ ଆନ୍ଦୋଳନକୁ ଓହ୍ଲାହିଛି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ଆଉଟ୍ ସୋର୍ସ କର୍ମଚାରୀ ସାଉଥ୍ କୋ ରେ ସମସ୍ତ ଉପଭୋକ୍ତାଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜି ଏହି ସଂସ୍ଥାକୁ ସରକାରଙ୍କ ଚୁକ୍ତି ମୁତାବକ ନୂତନ ଭାବେ ଦାୟିତ୍ଵ ନେଇ ଥିବା ଟାଟା ପାୱାର ସେମାନଙ୍କୁ ( ଆଉଟ୍ ସୋର୍ସ କର୍ମଚାରୀ ) ଛଟେଇ କରିବାକୁ ମସୁଧା ଚଳାଇଛନ୍ତି । ଏଣୁ ଏହାକୁ ସଂଘ ତବ୍ର ପ୍ରତିବାଦ କରୁଛି ଏବଂ ଦାବି ପୂରଣ ହେବା ଯାଏଁ ଏହି ଗଣଧାରଣା ଚାଲୁ ରହିବ । ୧୯୯୯ ମସିହାରେ ଗ୍ରାହକ ସଂଖ୍ୟା ଦୁଇ ଲକ୍ଷ ଅନସ୍ତରି ହଜାର ଥିବା ବେଳେ ସେବା ଯୋଗାଇବା ସକାଶେ ୪୪୦୦ କର୍ମଚାରୀ ନିଯୁକ୍ତି ଥିଲେ । ବର୍ତ୍ତମାନ ୨୦୨୧ ସାଲରେ ଗ୍ରାହକ ସଂଖ୍ୟା ୨୧ ଲକ୍ଷରୁ ଉର୍ଦ୍ଧ୍ବ ଥିବା ସତ୍ତ୍ୱେ କର୍ମଚାରୀ ସଂଖ୍ୟା ୧୬୦୦ ଅଟନ୍ତି । ସମସ୍ତ ପ୍ରକାର ପଦବୀ ( ହେଲ୍ପର , ଲାଇନମେନ୍ , କିରାଣୀ ) ଖାଲି ଥାଇ ମଧ୍ୟ ପୂରଣ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ବୋଲି ଓଡିଶା ବିଜୁଳି କର୍ମଚାରୀ ସଂଘର କାର୍ଯ୍ଯକାରୀ ସଭାପତି ପଞ୍ଚାନନ ଜେନା ପ୍ରେସ୍ ବିବୃତିରେ ଜଣାଇଛନ୍ତି।
(ରିପୋର୍ଟ- ଆରତ କୁମାର ହୋତା। )