ମୋ ବାପା ରେଙ୍ଗୁନରେ ଜନ୍ମ ହୋଇଥିଲେ। ସେହି ସମୟରେ ମୋ ଜେଜେ ବାପା ହାଡୁ ନାୟକ ରେଙ୍ଗୁନରେ ଥିଲେ।ମୋ ବାପା ଉତ୍ସବ ଆଉ ମୋ ବଡ ବାପା ଚୈତନ୍ୟଙ୍କ କହିବା ଅନୁସାରେ ଜେଜେବାପା ଜମିଦାର ଥିଲେ।ଘୋଡାରେ ଯାତାୟାତ କରୁଥିଲେ। କାନରେ କୁଣ୍ଡଳ ଓ ବେକରେ ବେକେ ସୁନା ମାଳି
ପିନ୍ଧିଥିଲେ । ବହୁ ଜମିର ମାଲିକ । ସେ ସେଠାରେ ଜଣେ ବ୍ରାହ୍ମଣ ଜାତିର କନ୍ୟାକୁ ବିବାହ କରି ଥିଲେ।ରେଙ୍ଗୁନ ଭଗଡ ହେଲା ପରେ ଓଡ଼ିଶାରୁ ଯାଇଥିବା ଓଡ଼ିଆମାନେ ନିଜ ନିଜ ଭିଟା ମାଟିକୁ ପ୍ରତ୍ୟାବର୍ତ୍ତନ କଲେ । ସେହି ସମୟରେ ସପରିବାରେ ମୋ ଜେଜେବାପା ପିଲାମାନଙ୍କୁ ସାଙ୍ଗରେ ଧରି ଫେରିବା ବାଟରେ ମୃତ୍ୟୁ ବରଣ କରିଥିଲେ। ଛୋଟ ଛୋଟ ପିଲାମାନଙ୍କୁ ସାଙ୍ଗରେ ଧରି ମୋ ଜେଜେମା ପାଟ କଷ୍ଟେ ମଷ୍ଟେ ଗଞ୍ଜାମ ଫେରିଲେ।
ମୁଁ ଜାଣିବାରେ ମୋ ବଡ ବାପା ଚୈତନ୍ୟ, ମୋ ବାପା ଉତ୍ସବ ଆଉ ମୋର ଦୁଇ ଜଣ ଦଦେଇ ପାଣ୍ଡବ ଓ ଅଗାଧୁ ଥିଲେ। ବାସ୍ତବରେ କହିବାକୁ ଗଲେ ମୋ ଜେଜେବାପା ଙ୍କ ନିଜ ଘର ପଞ୍ଚଭୂତି । ସେ ସେଠାରେ ପ୍ରଥମେ ବାହା ହୋଇଥିଲେ ସ୍ବଜାତରେ। ପ୍ରଥମ ସ୍ତ୍ରୀଙ୍କର ଗୋଟିଏ ପୁତ୍ର ଜନ୍ମ ହୋଇଥିଲା ।
ପରେ ପରେ ସେ ରେଙ୍ଗୁନ ଯାଇ ସେଠାରେ କୃଷି କାର୍ଯ୍ୟ ଆରମ୍ଭ
କରି ବହୁ ଜମି କ୍ରୟ କରି ମାଲିକ ହୋଇ ଥିଲେ। ଆଉ ଗଞ୍ଜାମ କେବେ ଫେରି ନାହାଁନ୍ତି। ତାଙ୍କ ପ୍ରଥମ ସ୍ତ୍ରୀଙ୍କର ଗୋଟିଏ ପୁତ୍ର ଥିଲା, ଯାହାଙ୍କ ନାମ ଅରକ୍ଷିତ ଥିଲା। ମୋ ଜେଜେମା ପାଟ ରେଙ୍ଗୁନରୁ ଫେରିଲା ବେଳେ ବହୁ ସୁନା ରୂପା ନେଇ ଆସିଥିଲେ। ପ୍ରଥମେ ସେ କେନ୍ଦୁପଦର ପହଞ୍ଚିଲେ ଛୋଟ ଛୋଟ
ପିଲାମାନଙ୍କୁ ଧରି। ସେ ପଣ୍ଡା ଘର ଝିଅ ହୋଇ ଭିନ୍ନ ଜାତିରେ ବାହା ହୋଇଥିବାରୁ ତାଙ୍କୁ ଗ୍ରହଣ କଲେ ନାହିଁ। ତେବେ କେନ୍ଦୁ ପଦରେ ସରକାରୀ ଜାଗାରେ ଏକ କୁଡିଆ ଖଣ୍ଡେ ନିର୍ମାଣ କରି ଛୋଟ ଛୋଟ ପିଲାମାନଙ୍କୁ ଧରି ସୁନା ରୁପା ବିକି ଭାଙ୍ଗି ପ୍ରତି ପୋଷଣ ହେଲେ। କହିବାକୁ ଗଲେ ମୋ ଜେଜେମା ୧୨ ଗୋଟି ପିଲାର ଜନନୀ ଥିଲେ। ରେଙ୍ଗୁନର ରହଣି ସମୟରେ ୪ ଗୋଟି ପିଲାର ଦେହାନ୍ତ ହୋଇଥିଲା। ରେଙ୍ଗୁନ ଭଗଡ ବେଳେ ବାଟରେ ୨ ଟି ପିଲା ମରିଥିଲେ। ଆଉ ୬ ଟି ପିଲା ମଧ୍ୟରୁ କେନ୍ଦୁପଦରରେ ୨ଟି ପିଲା ମରି ବାକି ୪ଟି ପିଲା ବଞ୍ଚି ଥିଲେ। ସେମୟେ ଝାଡା ବାନ୍ତି ବା ହେବାରୁ ମୋ ଜେଜେମା ମୃତ୍ୟୁ ବରଣ କରିଥିଲେ। ଜେଜେଙ୍କ ମୃତ୍ୟୁ ପରେ ୪ ଜଣ ପିଲା ଅନାଥ ହୋଇ ଗଲେ।
ସେହି ଅନାଥ ପିଲାମାନେ ପରବର୍ତ୍ତୀ ସମୟରେ ଘୁମୁସର ଗଡ଼ରେ ପହଞ୍ଚିଲେ । ସେଠାରେ ଛୋଟ ଛୋଟ ପିଲାମାନଙ୍କୁ
ବିଭିନ୍ନ କାର୍ଯ୍ୟରେ ନିୟୋଜନ କରାଗଲା। ଚାରିଭାଇ କୌଣସି
ପ୍ରକାରେ ଯୁବକ ହେଲା ପରେ ଏମାନେ ସମସ୍ତେ ବିବାହ କଲେ । ଅଗାଧୁ ନାମରେ ଯେଉଁ ଦେଇଥିଲେ,ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଚାକିରୀ କଲେ। ବଡବାପା ଚୈତନ୍ୟ ବ୍ରହ୍ମପୁର ମେଡ଼ିକାଲରେ ଚାକିରି କଲେ। ମୋ ବାପା ରାଉରକେଲାରେ ଚାକିରି କରୁ ଥିଲେ। କିନ୍ତୁ କୌଣସି କାରଣରୁ ସେ ଚାକିରି ଛାଡି
ଗାଁ କୁ ଫେରିଆସିଲେ। ମୋର ଅନ୍ଯ ଜଣେ ଦେଇ ପାଣ୍ଡବ ମଧ୍ୟ ସେ ମୋ ବାପାଙ୍କ ସହିତ ଗାଁ କୁ ଆସି ଚାଷବାସ କାମ କଲେ।
ମୁଁ ଯେତେବେଳ ତୃତୀୟ ଶ୍ରେଣୀରେ ପଢୁଥିଲି ମୋ ଦଦେଇଙ୍କ
ହଠାତ୍ ମୃତ୍ୟୁ ଘଟିଥିଲା। ଚାରି ଜଣ ଭାଇଙ୍କ ମଧ୍ୟରୁ ପାଣ୍ଡବ ଜଣେ ବଳଶାଳୀ ବ୍ଯକ୍ତି ଥିଲେ। ଅନ୍ଯାୟ ଅନୀତିକୁ ସେ କେବେ
ସହ୍ଯ କରି ପାରୁ ନଥିଲେ । ଜଣେ ଲୋକ ଦଶ ଲୋକଙ୍କୁ ସମ୍ଭାଳିବା ଭଳି ବଳ ଥିଲା। ତାଙ୍କୁ ସମସ୍ତେ ଭୟ କରୁଥିଲେ।
ଯେଉଁ ଦିନ ସେ ଅପହ୍ନ ୪ ଟା ସମୟରେ ଅଚାନକ ମୃତ୍ୟୁ ବରଣ କଲେ । ସେ ପଡୋଶୀ ଘରୁ ଦିଆ ଯାଇଥିବା କ୍ଷୀରି ଖାଇ ଥିଲେ। ଏଣୁ କ୍ଷୀରି ରେ ବିଷ ପ୍ରୟୋଗ ହୋଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହା ଏକ ଗୁଜବ କହି ତରବରିଆ ଭାବେ ଶ୍ମଶାନରେ ଦାହ ହୋଇ ଥିଲା। ମୋ ଦଦେଇ ଜଣେ ନିଃସନ୍ତାନ ଥିଲେ। ସେ ମଲା ପରେ ତାଙ୍କ ସ୍ତ୍ରୀ ଅନ୍ୟତ୍ର ବାହା ହୋଇ କୌଶଳ କ୍ରମରେ ଘର ଡିହ ବିକି ଚାଲି ଯାଇଥିଲେ । ବ୍ରହ୍ମପୁରରେ ମୋ ବଡ ବାପା ଏବଂ ବଡ ମା ମେଡିକାଲରେ ଚାକିରି କରୁଥିଲେ। ତାଙ୍କର ୭ ଟି ଝିଅ। ପୁଅ ଗୋଟେ ନାହିଁ।
ଦୁହେଁ ମଲା ପରେ ତାଙ୍କର ପିଣ୍ଡ ଦାନ କରିବାକୁ କେହି ନାହିଁ।
କାରଣ ସେମାନେ ଚାହିଁଥିଲେ ଦତ୍ତ ପୁତ୍ର କରି ପାରିଥାନ୍ତେ। ମାତ୍ର ତାଙ୍କ ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ଝିଅଙ୍କ ସହ ମତି ନଥିବାରୁ ଆମ ବଂଶର କୌଣସି ପୁତ୍ରକୁ ନେଇ ଦତ୍ତ ପୁତ୍ର କରି
ପାରିଥାନ୍ତେ। ମାତ୍ର ଝିଅମାନେ ସମ୍ପତ୍ତି କାଳେ କିଏ ଖାଇ ଯିବ ଭାବି ଦତ୍ତ ପୁତ୍ର କଲେ ନାହିଁ। ଏଣୁ ସେ ଦୁହେଁ ମଲା ପରେ ପିଣ୍ଡ ପାଣି କିଏ ଦେଲେ ନାହିଁ। ଅପାଣିଆରେ ଗଲେ।
ବାକି ରହିଲା ରାଉରକେଲାରେ ରହି କାମ କରୁଥିବା ଅଗାଧୁ ଦଦେଇ । ସେ ଆଉ ତାଙ୍କ ସ୍ତ୍ରୀଙ୍କ ଆଗପଛ ହୋଇ ମୃତ୍ୟୁ ବରଣ
କଲେ । ସେ ଅବସର ନେବା ପରେ ରାଉରକେଲାରେ ରହିଲେ । ତାଙ୍କର ପାଞ୍ଚଟି ପୁଅ ଏବଂ ଦୁଇଟି ଝିଅ ଜନ୍ମ ହୋଇଥିଲା। ସେମାନେ ସେଠାରେ ଅଛନ୍ତି। ନିଜ ନିଜ କାମ ଧନ୍ଦା କରି ଜୀବିକା ନିର୍ବାହ କରୁଛନ୍ତି। ମୁଁ ୧୯୮୪ ମସିହାରେ ସେଠାରେ ଥିଲି । କଲେଜରେ ଆଇଏ ପଢୁଥିଲି । ମୋ ଦଦେଇ ଟିକେ ମଦ୍ଯ ପାନ କରନ୍ତି। ପିଇଲା ପରେ ପାଟି ତୁଣ୍ଡ କରନ୍ତି। ପିଲାମାନେ ସବୁ ଅପାଠୁଆ। ଖୁଡି ମାନସିକ ରୋଗୀ। ଏଣୁ ଘରର ଯତ୍ନ ନେବା ପାଇଁ କିଏ ନାହିଁ। ମୋ କକା ଗାଁ କୁ ଆସିଥିଲେ। ମତେ କହିଲେ: ତୁ ରାଉରକେଲାକୁ ଆସେ , ସେଠାରେ କଲେଜରେ ପଢାଇବି ଆଉ ତୁ ପିଲାମାନଙ୍କୁ ପାଠ ପଢାଇବୁ। ମୁଁ କକାଙ୍କ ଭରସାରେ ରାଉରକେଲା ଗଲି। ସାନ୍ଧ୍ୟ କଲେଜରେ ନାଁ ଲେଖାଇଲି। ପ୍ରଥମ ବର୍ଷା ସୁଖ ଦୁଃଖ ରେ ଚାଲିଲା। ପିଲାମାନଙ୍କୁ ପାଠ ପଢାଇଲି। କିଏ ପ୍ରଥମ, କିଏ ଦ୍ବିତୀୟ, କିଏ ତୃତୀୟ, ଚତୁର୍ଥରେ ପଢୁଥିଲେ।
ସକାଳ ହେଲେ ସବୁ ପିଲା ଫୁର୍….! ସ୍କୁଲ କୁ ଯିବା ଆସିବାର ନାଁ ଗନ୍ଧ ନାହିଁ। ବୁଲି ବୁଲୁ ୧୧ ଟା ,୧୨ଟା ଆସିବେ। ଆଗ ଆଗ ବଡ ଭାଇ ବୋଲି ମୋ କଥା ମାନୁଥିଲେ। ପରେ ମୋ କଥା ମାନିଲେ ନାହିଁ। ଯେଉଁ ବାଇଲା କୁ ସେଇ ବାଇଲା। ସବୁ ଛତରା । ମୁଁ ବେଳେ ବେଳେ ଡରାଏ ।ପାଠ ପଢ କହେ ତାଗିଦ କରେ ।
ଏହା କିଛି ଦିନ କାଳେ ଆସିଲା। ତାପରେ ଯୋଉ କଥା କୁ ସେହି କଥା। ମୋ ପାଠ ପ୍ରତି ମୁଁ ଧ୍ୟାନ ଦେଉଥାଏ। ମୋର ଜଣେ ସହ ପାଠି ଥିଲା। ଦୁଃଶାସନ ସେନାପତି। ଦୁହେଁ ସାଙ୍ଗ।
ମୁଁ ତାଙ୍କ ବସାକୁ ଯାଏ। ଗପସପ କରେ। ବେଳେ ବେଳେ ତାଙ୍କ ଘରେ ଖାଏ। ସେ ଆଉ ତାଙ୍କ ବଡ ଭାଇ ମିଶି ଏକ ବଙ୍ଗାଳୀ ଘରେ ଭଡ଼ାରେ ଥିଲେ।
ଆଇଏ ଦ୍ବିତୀୟ ବର୍ଷର ଛାତ୍ର। ଏଆଇଏଲ ଓଡ଼ିଆ ଛାଡି ଦେଲେ ସବୁ ସବଜେକ୍ଟ ଇଂରାଜୀ। ଯେମିତି ହେଲେ ଆଇଏ ପାଶ କରିବାକୁ ପଡିବ। ମୋ ମୁଣ୍ଡକୁ ମୋ ପାଠ ବଡ ଜଟିଳ। ଆଉ
କକାଙ୍କ ବାଳୁଙ୍ଗା ପିଲାଙ୍କୁ କିଏ ଧ୍ୟାନ ଦେବ। କୁକୁର ଲାଙ୍ଗୁଡ , ଜନ୍ମରୁ ବଙ୍କା। ମୋ କକା ଯେତେ ବେଳେ ଡିଉଟିକୁ ଯିବେ ଘର ଶାନ୍ତି। ଆଉ ଡିଉଟିରୁ ଘରକୁ ଫେରିବା ବେଳକୁ ଢୋଲେ ମଦ ପିଇ ପାଟି କରି କରି ଆସନ୍ତି।
ଆମେ ୧୬ ନମ୍ବର ସେକ୍ଟରରେ ଥିଲୁ। ସାହି ପଡୋଶୀ ଅଶାନ୍ତି । ମଦ ପିଇ ପାଟି କଲେ ଆଉ ବିନା କାରଣରେ ଗାଳି ଗୁଲଜ କଲେ କିଏ କେତେ ସମ୍ଭାଳିବେ । ସବୁ ସାହି ପଡିଶୀ ମତେ ଅଭିଯୋଗ କରନ୍ତି। ମୁଁ ମଦ୍ୟପ କକାଙ୍କୁ ବୁଝାଇବା ଚେଷ୍ଟା କରେ । ସେହି କିଛି ସମୟ ନିରବ। ମୁଁ ବାହାରକୁ ଗଲା ପରେ ଯୋଉ କଥା କୁ ସେହି କଥା। କକା ପୁତୁରା ମଧ୍ୟରେ ଅଶାନ୍ତି ବଢିଲା। ମୁଁ ବାଧ୍ୟହୋଇ ବିବାଦ ଉତ୍କଟ ହେବାରୁ ଅଧାରୁ ପାଠ ଛାଡି ଗାଁ କୁ ଆସିଲି । ପୁନଶ୍ଚ ପାଠ ପଢି ସମାଜ ବିଜ୍ଞାନରେ ସ୍ନାତକୋତ୍ତର କଲି। ମୁଁ ଚାକିରୀ କରିବା ଉଦ୍ଧେଶ୍ୟରେ କିଛି ମାସ ଭୁବନେଶ୍ୱରେ ଥିଲି। କିଛି ବର୍ଷ ପୁରୀରେ ଥିଲି । ପୁନଶ୍ଚ ମାଲକାନଗିରି କୁ ୧୯୯୨ରେ ଆସିଲି । ଚାକିରି ପାଇଁ ସବୁଠି
ସୁପାରିଶ ଆଉ ଲାଞ୍ଚ। ଏଣୁ ମୋ ବାପା ଜଣେ ଗାଉଁଲି। ଆଉ
ଅଶିକ୍ଷିତ। ତେଣୁ ହାତ ଫାତ ତାଙ୍କର ନାହିଁ। ଲାଞ୍ଚ ଦେବାକୁ ମୋ ବାପା ପାଖରେ ସମ୍ବଳ ନାହିଁ। ଏଣୁ ମୋର ସରକାରୀ ଚାକିରି କରିବାର ଯେଉଁ ଲାଳସା ଥିଲା,ମୋ ମନରୁ ଧୀରେ ଧୀରେ ନିଷ୍ପ୍ରଭ ହୋଇ ଗଲା । ମୁଁ ଅନ୍ଯ ଏକ ବୃତ୍ତିକୁ ଆପଣେଇ ନେଲି ।
ସ୍ବାଧୀନ ପ୍ରଫେସନ ଜୋର୍ନାଲିଷ୍ଟ। ମୋର ଟିକେ ସାହିତ୍ୟ ଗଲୁ ଯୁବ ଅବସ୍ଥାରୁ ଅଛି। ଏଣୁ ଲେଖା ଲେଖି ପାଇଁ ଏ ପ୍ରଫେସନାଲ ମତେ ସୁଟ୍ କଲା । ଲେଖିବା ପଢିବା ମୋର ହବିଷ । ପ୍ରାଇଭେଟ୍ କଲେଜରେ ଦୁଇ ବର୍ଷ ଲାଗି ଅଧ୍ଯାପକ ଥିଲି। କଲେଜ ପିଲାମାନଙ୍କୁ କୋଚିଙ୍ଗ ଦେଉଥିଲି । ମୋ ସବଜେକ୍ଟରେ
ଛାତ୍ରଛାତ୍ରୀମାନେ ଭଲ ମାର୍କ ରଖିଥିଲେ।
ମୋ ବାପା ମାଁ ଯେତେବେଳେ ବୁଢ଼ାବୁଢ଼ୀ ହୋଇ ଗଲେ ମୋ ପାଖରେ ଆସି ରହିଲେ। ବାପା ମା’ଙ୍କୁ ଯେମିତି ସେବା ସୁଶ୍ରୁଷା କରିବା କଥା କଲି। ପ୍ରାୟ ୯୦ ବର୍ଷରେ ମୋ ବାପାଙ୍କର ମୃତ୍ୟୁ ହେଲା । ଠିକ ପାଞ୍ଚ ବର୍ଷ ବ୍ୟବଧାନରେ ମୋ ମା ମଲା। ମୁଁ ବଡ ପୁଅ। କ୍ରିୟା କର୍ମ କଲି। ମଶାଣିରୁ ହାଡ ଶୀତଳାଇ ଏକ କଳସରେ ହାଡକୁ ଭରି ଆଣିଲି। ମୁଁ ଯେଉଁଠି ରହୁଥିଲେ ସେ ରାସ୍ତା କଡରେ ବିରାଟ କାକପୋଇ ଗଛ ଥିଲା । ଶୂନଶାନ ରାତି ରେ ସେ ଗଛ ମୂଳେ ଅସ୍ଥି କଳସ କୁ ପୋତି ଦେଲୁ। ମୋ ମା ମଲା ପରେ ତା ଅସ୍ଥି ଆଣି ଆମ ଘରର ଅନତି ଦୂରରେ ରଖିଲୁ।
ଏହି ଅସ୍ଥିକୁ ବିସର୍ଜନ ଲାଗି ଟିକେ ବିଳମ୍ବ ହେଲା । ଆମେ ୩ ଭାଇ। ମଝିଆ ଓକିଲ ଆଉ ସାନଟା ଓଡ଼ିଆ ଅଧ୍ୟାପକ। ସମସ୍ତେ ବିଜି । ଇତି ମଧ୍ୟରେ ମୋ ସାନପୁଅ ବିକାଶ ଓ ମୋ ସ୍ତ୍ରୀ ସାବିତ୍ରୀ
କହିଲେ, ଆମେ ପୁରୀକୁ ଯାଇ ବୁଢ଼ା ବୁଢ଼ୀର ଅସ୍ଥି ବିସର୍ଜନ କରିବୁ । ଦିନ ସ୍ଥିର ହେଲା ପୁରୀ ଯିବେ। ମୋ ମା’ର ଅସ୍ଥି ଯେଉଁ ସ୍ଥାନରେ ପୋତା ହୋଇ ଥିଲା, ସେଠାରେ ମିଳିଲା ନାହିଁ। ଖୋଳି ଖୋଳି ବିରକ୍ତ। ଶେଷରେ ବଡ କଷ୍ଟରେ ମିଳିଲା। ଲୋକମାନେ କହନ୍ତି: ଅସ୍ଥି କଳସୀ ଧୀରେ ଧୀରେ ମାଟି ଭିତରେ ଘୂଞ୍ଚି ଯାଏ।
ସେମିତି ବାପାଙ୍କ ଅସ୍ଥି କଳସଟା କାକପୋଇ ବୃକ୍ଷ ତଳେ ମାଟି ଖୋଳି ପୋତା ଯାଇଥିଲା। ସେ କଳସୀ ମିଳିବା ଭାରି କଷ୍ଟ ହେଲା । କଳସଟା ମାଟିରେ ମିଶିଯାଇଥିଲା। ବହୁତ ଖୋଜାଖୋଜି ପରେ ଦୁଇ ଖଣ୍ଡି ଅସ୍ଥି ପ୍ରାପ୍ତ ହୋଇଥିଲା। ବାକି ଅସ୍ଥି ମାଟି ମିଶି ମିଳାଇ ଯାଇଥିଲା। ମୋ ପୁଅ ଆଉ ମୋ ସ୍ତ୍ରୀ
ପୁରୀ ଯାଇ ବ୍ରାହ୍ମଣ ସହାୟତାରେ ନୀତି କର୍ମ କରି ଅସ୍ଥି ବିସର୍ଜନ କଲେ।
ମୋ ବଡ ଝିଅଟି ଭୂତ ବୋଇଲେ ଖୁବ୍ ଡରେ । ରାତି ହେଲେ ପଦାକୁ ବାହାରିବା କଷ୍ଟ। ଆବଶ୍ୟକ ହେଲେ,ତା ମା’କୁ ସାଙ୍ଗରେ ଧରି ଯାଏ। ସେ ମୋ ବାପା ମା’ଙ୍କ ମୃତ୍ୟୁ ପୂର୍ବରୁ କହିଥିଲା: ତମେ ମଲେ ଆମକୁ ଡରାଇବ ନାହିଁ । ଭୂତ ହୋଇ ଆସିବ ନାହିଁ। ମୋ ବାପା କହିଲେ:- ମୁଁ ମଲେ ଭୂତ ହୋଇ ଆସିବି ନାହିଁ। କି କାହାରିକୁ ଡରାଇବି ନାହିଁ। ସତକୁ ସତ,ମୋ ବାପା ମା ମଲେ ସିନା ଦିନେ ମଧ୍ୟ ଡରାଇ ନାହିଁନ୍ତି। ତାଙ୍କର ଛାୟା ମଧ୍ୟ ଅନୁଭବ ହୋଇ ନାହିଁ। ମୁଁ ପ୍ରେତାତ୍ମା କୁ ଦେଖିବା ପାଇଁ ରାତି ୨ଟା ୩ଟାରେ ମଧ୍ୟ ବହୁ ବାର ଉଠିଛି,ହେଲେ
ସେମାନଙ୍କ ଅସ୍ଥିତ୍ଵକୁ ଅନୁଭବ କରି ପାରି ନାହିଁ।ଦିନେ ସ୍ବପ୍ନ ମଧ୍ୟ
ଦେଖି ନାହିଁ।
କିନ୍ତୁ ଯୋଉ ବିରାଟ କାକପୋଇ ବୃକ୍ଷ ତଳେ ମୋ ବାପାଙ୍କର ଅସ୍ଥି କଳସ ପୋତା ଯାଇଥିଲା, ସେହି ବୃକ୍ଷଟି ଶୁଖି ଶୁଖି ମରିଗଲା। ଉପର ଡାଳଗୁଡିକୁ କିଏ କେତେବେଳେ କାଟି କୁଟି
ନେଇ ଗଲେ। ବଡ ଗଣ୍ଡିଟି ସେମିତି ରହିଗଲା। ରାସ୍ତା ଆଡ଼କୁ ନଇଁ ରହିଲା। ଊଇ ଲାଗି ଗଣ୍ଡିଟି ଦୁର୍ବଳ ହୋଇଗଲା। ମୁଁ ଭାବୁଥିଲି: ଏ ଗଛଟି ଯଦି କାହା ଉପରେ ପଡିବ,ବଡ ଦୁର୍ଘଟଣା
ଘଟାଇବ। ଜୀବନ ହାନି ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ମୁଁ ସେହି ବାଟେ ସକାଳେ ସନ୍ଧ୍ୟା ରେ ଯାଏ। ଆମ ମଝିଆ ଭାଇର ଛୋଟ ପୁଅ ଦୁଇ ଟା ସେ ରାସ୍ତା ଦେଇ ଖେଳକୁଦ କରିବାକୁ ଯାଆନ୍ତି। ବର୍ତ୍ତମାନ କାଳ ବୈଶାଖୀ ଯୋଗୁଁ
ବର୍ଷା ପାବନ ବେଶି । ମୁଁ ଭାବୁଥିଲି:- ଏଇ କେଇ ଦିନ ଭିତରେ
ଥୁଣ୍ଟା ଗଛଟି ପୋଡି ଯିବ । କାହା ଉପରେ ପଡ଼ିଲେ, ମରିବା ସୁନିଶ୍ଚିତ। ମୁଁ ଭାବୁଥିଲି ଯେ ,ଏ ବୃକ୍ଷ ଦେହରେ ମୋ ବାପାଙ୍କ
ପ୍ରେତାତ୍ମା ଥିବ, ଯଦି ଥିବ ଆମର କାହାରି ଜୀବନ ହାନି ହେବ ନାହିଁ। ବାପା ଆମକୁ ନିଶ୍ଚୟ ସୁରକ୍ଷା ଦେବା । ଆଶା ଆଶଙ୍କା ଭିତରେ ଗତ ୭ ତାରିଖ ମଇ ରାତି ଗୋଟିଏ ବେଳେ ଥୁଣ୍ଟା ବୃକ୍ଷଟି ଭୀଷଣ ଶଦ୍ଦ କରି ରାସ୍ତା ଉପରେ ପଡ଼ି ଗଲା। କାହାରି
କିଛି ହୋଇ ନାହିଁ। ବିପଦ ଟଳି ଗଲା। ଆଜି ମଇ ୯ ତାରିଖ
ମୋ ମା’ର ଶ୍ରାଦ୍ଧ। ଶ୍ରାଦ୍ଧ ଅର୍ପଣ କଲା ପରେ ଭାବୁଛି:- ମୋ ବାପା ମା ଅଶରୀର ଆତ୍ମା ହୋଇ ଯୋଉଠି ବି ଥାଆନ୍ତୁ ନା କାହିଁକି,ଆମ ପ୍ରତି ତାଙ୍କ ଆଶୀର୍ବାଦ ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି।
ତାଙ୍କ ପାଦପଦ୍ମରେ କୋଟି କୋଟି ପ୍ରଣାମ।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)