ସାନଖେମୁଣ୍ଡି; ୧୮/୦୯(ପିପିଟି); ପଞ୍ଚାୟତିରାଜ ବ୍ୟବସ୍ଥାରେ ସିଧା ସଳଖ ଲୋକଙ୍କ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଥିବା ସମିତିସଭ୍ୟ /ସଭ୍ୟା ମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ରେ ଅଣଦେଖା କରାଯାଉଥିବା ସହ ହେୟଜ୍ଞାନ କରାଯାଉଥିବା ନେଇ ସାନଖେମୁଣ୍ଡି ବ୍ଲକର ସମିତିସଭ୍ୟ /ସଭ୍ୟା ମାନେ ସେମାନଙ୍କ ଲଗାତର ଭାବେ ଅସନ୍ତୋଷ ବ୍ୟକ୍ତ କରିଚାଲିଛନ୍ତି । ଗତ ସପ୍ତାହରେ ମେଳି ବାନ୍ଧି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଠାରେ ନିଜପ୍ରତି ଲଗାତର ଭାବେ ହେଉଥିବା ପ୍ରଶାସନିକ ଅବିଚାର ସମ୍ପର୍କରେ ପ୍ରତିବାଦ ଜଣାଇଥୁବା ବେଳେ କୌଣସି ସକାରାତ୍ମକ ପ୍ରତିଶୃତି ନପାଇବାରୁ ଆଜି ପୁଣି ସାନଖେମୁଣ୍ଡିର ସମିତି ସଭ୍ୟ ମାନେ ନିଜର ସାମ୍ବିଧାନିକ ଅଧିକାର ପାଇଁ ରଣକୌଶଳ କୁ କ୍ରିୟାଶୀଳ କରିବା ସହ ପୁଣି ଯୁଦ୍ଧଦେହିଁ ଡାକରା ଦେଇ ସମ୍ମିଳିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ କରିବା ସହ ଦୃଢ଼ୀକରଣ କରିଛନ୍ତି । ସାନଖେମୁଣ୍ଡି ବ୍ଲକ ଦଶେଇପୁର ସ୍ଥିତ ମା ବେହେରାପାତ୍ର ମନ୍ଦିର ଠାରେ ଆଜି ଦିନ ତମାମ ସମିତିସଭ୍ୟ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଞ୍ଚାୟତିରାଜ ଅଧିନିୟମ ଅନୁସାରେ ସମିତି ସଭ୍ୟଙ୍କ ପ୍ରତି ଲଗାତର ଅବିଚାରର ଦୃଢ଼ ପ୍ରତିବାଦ କରାଯିବା ସହ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତା ରେ ସହଭାଗିତା ପାଇଁ ଇଛା ଆଗ୍ରହ ଥିବା ସତ୍ୱେ ସେମାନଙ୍କୁ ଗୌଣ କରାଯାଉଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକକୁ ପଞ୍ଚାୟତ ପାଇଁ ଆସୁଥିବା କୌଣସି ଚିଠି ସମ୍ପର୍କରେ ମଧ୍ୟ ସମିତି ସଭ୍ୟଙ୍କୁ ଅନ୍ଧାରରେ ରଖିବାର କଡ଼ାନିନ୍ଦା କରାଯାଇଥିଲା । ମନରେଗା, ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଇଁ ହିତାଧିକାରୀ ଚୟନ, ଖାଦ୍ୟ ନିରାପତ୍ତାଆଇନ ରେ ରାସନ କାର୍ଡ ପାଇଁ ଗରିବ ହିତାଧିକାରୀ ଚିହ୍ନଟ, ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରୀ ରେ ଉପେକ୍ଷା ସମ୍ପର୍କରେ ଆଲୋଚନା ସହ ପଞ୍ଚାୟତରେ ଗ୍ରାମସଭାର ନକଲ ସହ ବିଭିନ୍ନ ପ୍ରକଳ୍ପ ମଞ୍ଜୁରୀ ତାଲିକା ସବୁ ସରକାରୀ ଚିଠିର ନକଲ ସମିତିସଭ୍ୟଙ୍କୁ ଜଣାଇବା ପାଇଁ ପ୍ରଶାସନ ଠାରେ ଦାବୀ କରାଯାଥିଲା । ସମିତି ସଭ୍ୟଙ୍କୁ ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଯୋଗାଣ ସହାୟକ ଗ୍ରାମ ରୋଜଗାର ସେବକଙ୍କୁ ସମସ୍ତ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବୀ କରାଯାଇଥିଲା । ପଞ୍ଚାୟତ ସମିତିର ମୁଖ୍ୟ ଅଙ୍ଗ ଓ ସଦସ୍ୟ ଭାବେ ସମିତି ସଭ୍ୟଙ୍କ ଭୂମିକାକୁ ବ୍ଲକ ପ୍ରଶାସନ ଧ୍ବଂସ କରିବା ସହ ବାରମ୍ବାର ଅବିଚାର ବିରୁଦ୍ଧରେ ଆଇନଗତ ଲଢ଼େଇ ଦାବୀ ହାସଲ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସମିତିସଭ୍ୟ ମାନେ ପ୍ରକାଶ କରିଥିଲେ । ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ. ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଗୌରହରି ବେହେରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏ ଜୟରାମ ଦୋରା, ଯୋଗେନ୍ଦ୍ର ସ୍ୱାଇଁ, ବାରିକ ଦାସ, ଇ.ମାଧବ ରାଓ ଦୋରା, ଏ ଜଗନ୍ନାଥ ପାତ୍ର, ଜି ସାଇରାମ, ପ୍ରଶାନ୍ତ ସ୍ୱାଇଁ ,ସଂଜୀବ ସର୍ଦାର, ଅମିନ ପ୍ରଧାନ ,ଏ ରାଜେଶ ଦୋରା ତୋଫାନ ସ୍ୱାଇଁ ,ରାଜୀବ ଲୋଚନ ପାତ୍ର; ବାଲ୍ମୀକି ପ୍ରଧାନ, ରଘୁନାଥ ସାହୁ, ପ୍ରତାପ ପ୍ରଧାନ, ରଞ୍ଜନ ବରାଡ଼, ଝିଅନି ନାୟକ, ସାବିତ୍ରୀ ସ୍ୱାଇଁ ,ମିନତୀ ବିଶୋଇ, ସରୋଜ ସାମନ୍ତରାୟଙ୍କ ସମେତ ସମସ୍ତ ପଞ୍ଚାୟତ ସମିତିସଭ୍ୟ ଅଂଶଗ୍ରହଣ କରିବା ସହ ଆଗାମୀ ଦିନରେ ଜିଲ୍ଲାପାଳ ଓ ପଞ୍ଚାୟତିରାଜ ସଚିବ ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ ପାଇଁ ଆଲୋଚନା କରିଥିଲେ । (ରିପୋର୍ଟ – ଆରତ କୁମାର ହୋତା ।)