ରଣପୁର,୨୩/୦୧(ପିପିଟି):ସି ଆଇ ଟି ୟୁ ,ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ମିଳିତ ସମନ୍ୱୟ କମିଟି ତରଫରୁ ୨୩ ଜାନୁୟାରୀ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ସାମ୍ପ୍ରଦାୟିକ ସଦଭାବନାର ଡାକରା ଦେଇ ଏକ ମିଳିତ କନଭେନସନ ସାଥୀ ଗଦାଧର ପ୍ରଧାନ,ଭିକାରୀ ଚରଣ ସାହୁ,ଓ ଜ୍ୟୋତ୍ସ୍ନା ନାଏକଙ୍କ ସଭାପତି ମଣ୍ଡଳୀରେ ପଞ୍ଚୁଦୋଳ ପଡିଆ ସହିଦ ରଘୁଦିବାକରଙ୍କ ସହିଦ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।ଏହି କନଭେନସନ ରେ କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀ ପ୍ରଥମେ ରଣପୁର ମାଟିର ସହିଦ ସନ୍ତାନ ରଘୁ- -ଦିବାକରଙ୍କ ପ୍ରତିମୂର୍ତ୍ତି ଓ ନେତାଜୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲା ବେଳେ ଉପସ୍ଥିତ ସମସ୍ତ ବନ୍ଧୁ ମାନେ ମାଲ୍ୟାର୍ପଣ ମଧ୍ୟ କରି ଥିଲେ।ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ,ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ୨୦୧୪ ମସିହା ଠାରୁ କେନ୍ଦ୍ରରେ ଅଧିଷ୍ଠିତ ବି ଜେ ପି ନେତୃତ୍ବାଧୀନ ମୋଦୀ ସରକାର ଧାରାବାହିକ ଭାବେ ଶ୍ରମିକ ବିରୋଧୀ ନିଷ୍ପତ୍ତି ନେଇ ମାଲିକ ସପକ୍ଷବାଦୀ ଶ୍ରମ କୋଡ଼ ଗ୍ରହଣ କରିଛନ୍ତି ଓ ସରକାରୀ ବ୍ୟବସ୍ଥାକୁ ଆମ୍ବାନୀ ଆଦାନୀ ଭଳି ବଡ଼ ପୁଞ୍ଜିପତି ହାତକୁ ସାଗମାଛ ଦରରେ ବିକ୍ରି କରିଚାଲିଛନ୍ତି। ଆଜି ଆଶାକର୍ମୀ,ପାଚିକା ଓ ଅଙ୍ଗନୱାଡି ଭଳି ସ୍କିମି ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ଦେଲା ବେଳେ କୃଷକଙ୍କ ଫସଲର ଉଚିତ ଦର ନାହିଁ କି କୃଷକର ପେନସନ ନାହିଁ। ସେଥିରେ କୃଷି କ୍ଷେତ୍ରକୁ ପୁଞ୍ଜିପତି ହାତକୁ ଟେକି ଦେବାର ଷଡଯନ୍ତ୍ର ମୋଦି କରି ଚାଲିଛନ୍ତି। ସେହିଭଳି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟି ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି। ତେଣୁ ଶ୍ରମିକ ଶ୍ରମଜୀବୀ ଜନସାଧାରଣ ମୋଦୀ ସରକାରର ଏଭଳି ଜନ ବିରୋଧୀ ନୀତିର ପ୍ରତିବାଦରେ ଆସନ୍ତା ଅପ୍ରେଲ ୫ ତାରିଖରେ ଦିଲ୍ଲୀ ଅଭିଯାନ କରି ପାର୍ଲ୍ୟାମେଣ୍ଟକୁ ଅଚଳ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନଗଣଙ୍କୁ ତିନି ସଂଗଠନ ତରଫରୁ ନିବେଦନ କରାଯାଇଛି। ଆଜି ଠାରୁ ଆସନ୍ତା ଜାନୁୟାରୀ ୩୦ ଗାନ୍ଧିଜୀଙ୍କ ସହିଦ ଦିବସ ପ୍ରାୟ ୭ ଦିନ ବ୍ୟାପି ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ବ୍ୟାପକ ପ୍ରଚାର ଅଭିଯାନ କରିବାକୁ ଆହ୍ବାନ ଦିଆ ଯାଇଛି। ଏହି କନଭେନସନରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ଶ୍ରମିକ ଜିଲ୍ଲା ନେତା ସୁରେଶ ସ୍ବାଇଁ,କ୍ଷେତ ମଜଦୁର ୟୁନିୟନର ନେତା ନିତ୍ୟାନନ୍ଦ ପରିଡା,ଦୁଃଶାସନ ଜେନା ,ହରିଶ୍ଚନ୍ଦ୍ର ମିଶ୍ର ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )