ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ମାଓ କବଳରୁ ମୁକୁଳାଇଲେ ସ୍ତ୍ରୀ ।

0 245

ମାଲକାନଗିରି,୧୭/୧୧(ପିପିଟି): ତିନି ବର୍ଷର ଶିଶୁ ପୁତ୍ରକୁ କୋଳରେ ଧରି ଜଙ୍ଗଲକୁ ଯାଇ ଅପହୃତ ସ୍ବାମୀଙ୍କୁ ମୁକୁଳାଇଲେ ସ୍ତ୍ରୀ। ସାତ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଉପ ନିର୍ବାହୀ ଯନ୍ତ୍ରୀ ଅଜୟ ରୋଶନ ଲାକ୍ରା। ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ। ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ଅର୍ପିତା ମଧ୍ୟ ଉପସ୍ଥିତ ଥିଲେ। ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର ଅଭିମୁଖେ ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲା ମନକେଲି ଗାଁରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଉପ ନିର୍ବାହୀ ଯନ୍ତ୍ରୀ ଅଜୟ ରୋଶନ ଲାକ୍ରା ଓ ତାଙ୍କ ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି ଗତ ଗୁରୁବାର ଦିନ ଯାଇଥିଲେ। ସେହି ସମୟରେ ୨୦ରୁ ୨୫ଜଣ ମାଓବାଦୀ ପହଞ୍ଚି ଅଜୟ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ନେଇଥିଲେ। ତେବେ ଲକ୍ଷ୍ମଣଙ୍କୁ ମାଓବାଦୀମାନେ ଛାଡ଼ିଦେଇଥିଲେ ମଧ୍ଯ ଅଜୟଙ୍କୁ ଛାଡ଼ିନଥିଲେ। ସୂଚନା ପାଇବା ପରେ ବିଜାପୁର ପୁଲିସ ଏନେଇ ଅନୁସନ୍ଧାନ ଚଳାଇଥିଲା। ତେବେ ଅପହରଣ ହେବାର ଦୁଇ ଦିନ ପାରେ ସେ ନ ଫେରିବାରୁ ଅଜୟଙ୍କ ପତ୍ନୀ ଅର୍ପିତା ମାଓବାଦୀଙ୍କ କବଳରୁ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି ବର୍ଷର ପୁଅକୁ ନେଇ ଜଙ୍ଗଲରେ ଖୋଜିବାକୁ ବାହାରି ପଡ଼ିଥିଲେ। ସେ ନିର୍ଦୋଷ ତାଙ୍କର କୌଣସି ଦୋଷ ନାହିଁ କହିବା ସହ ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ ଉପ ନିର୍ବାହୀ ଯନ୍ତ୍ରୀଙ୍କ ସ୍ତ୍ରୀ ଅର୍ପିତା। ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ୭ଦିନ ଧରି ଜଙ୍ଗଲରେ ସେ ଖୋଜି ବୁଲୁଥିଲେ । ଆଜି ପ୍ରାୟ ୫୦୦ରୁ ଅଧିକ ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ମାଓବାଦୀ ମାନେ ପ୍ରଜା କୋର୍ଟ କରି ରାସ୍ତା ନିର୍ମାଣ ନହେବା, ପୋଲିସ କ୍ୟାମ୍ପ ପ୍ରତିଷ୍ଠା ନକରିବା ଭଳି କିଛି ସର୍ତ୍ତ ରଖି ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲାକ୍ରାଙ୍କୁ ଛାଡିଥିବା ତାଙ୍କ ସ୍ତ୍ରୀ ଅର୍ପିତା ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.